ମାଲକାନଗିରି ୨୬।୧୨: କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ମାଲକାନଗିରି ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । କନିଷ୍ଠ ଯନ୍ତ୍ରୀଙ୍କ ୪ଟି ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଭିଜିଲାନ୍ସ ସ୍କାନରରେ ରହିଛି କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିବା ପରେ ଜୟପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ୪ ଠିକଣାରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି । ମାଲକାନଗିରି ଟାଉନ ସ୍ଥିତ ଜୟନଗରରେ ଥିବା ୩ ମହଲା କୋଠା, କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୧୦ ସ୍ଥିତ ପୈତୃକ ଘର, ନବରଙ୍ଗପୁର ରାଇଘର ସ୍ଥିତ ସମ୍ପର୍କୀୟଙ୍କ ଘର, ମାଲକାନଗିରି ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢାଉ ଜାରି ରହିଛି ।

ତେବେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢାଉ ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ନଗଦ ଟଙ୍କା ସହ ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ । ଚଢାଉରେ ଓଡ଼ିଶା ଭିଜିଲାନ୍ସର ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।