ନୂଆଦିଲ୍ଲୀ ୩।୧: ଶୁକ୍ରବାର ହ୍ରାସର ସହ ବନ୍ଦ ହୋଇଥିବା ରୂପା ଦର ଏବେବି ଉଚ୍ଚସ୍ତର ଆଖପାଖରେ ରହିଛି। କମେକ୍ସରେ ରୂପା ପ୍ରତି ଆଉନ୍ସ ୭୧.୩୦୦ ଡଲାର ଆଖାପାଖରେ ରହିଛି। ୨୦୨୫ରେ ମଜଭୁତ ଔଦ୍ୟୋଗିକ ଚାହିଦା ଓ ଯୋଗାଣ ହ୍ରାସ ଯୋଗୁ ରୂପା ମୂଲ୍ୟରେ ୧୮୦% ପର୍ଯ୍ୟନ୍ତ ରେକର୍ଡ ବୃଦ୍ଧି ଦେଖା ଯାଇଛି। ହେଲେ ଏବେ ଏହି ପ୍ରଶ୍ନ ଉଠୁଛି ରୂପା ଦରରେ ହୋଇଥିବା ବୃଦ୍ଧି ଆଗକୁ ଜାରି ରହିବ ତ? ଏଥିରେ ରୂପାର ପୁରୁଣା ଟ୍ରେଣ୍ଡ ଦେଖିଲେ ୧୯୮୦ ମସିହାରେ ଓ ୨୦୧୧ ମସିହାରେ ଦ୍ରୁତ ମୂଲ୍ୟ ବୃଦ୍ଧି ପରେ ଭୀଷଣ ହ୍ରାସ ଦେଖାଯାଇଥିଲା। ଏଣୁ ନିବେଶକଙ୍କୁ ଏବେ ଭୟ ଘାରିଛି।

ରୂପା ମୂଲ୍ୟ ଏତେମାତ୍ରାରେ ବଢି ଯାଇଛି ଯେ ଇଣ୍ଡଷ୍ଟ୍ରିଆଲ ସେକ୍ଟର ଲାଗି ଏହାର ବ୍ୟୟ ବହନ କରିବା ଭାରି ପଡୁଛି। ଯୋଗାଣ କମ ଥିବା ଯୋଗୁ ଏବେ ଅନେକ ଉଦ୍ୟୋଗ ଏହାର ବିକଳ୍ପ ସନ୍ଧାନ କରିବା ଆରମ୍ଭ କରିଛନ୍ତି। ଏଥିରେ କିଛି ସେକ୍ଟର ପୁଣି ତମ୍ବାକୁ ଫେରି ଯାଇଛନ୍ତି। ମାର୍କେଟ ସମ୍ପର୍କିତ ସୂତ୍ରଙ୍କ ଅନୁସାରେ ଫେବୃଆରୀ ୨୦୨୬ ସୁଦ୍ଧା ରୂପା ପ୍ରତି ଆଉନ୍ସ ୧୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରେ। ତେବେ ଏହା ପରେ ମୂଲ୍ୟରେ କରେକ୍ସନ ଦେଖାଯାଇ ପାରେ। ଏଣୁ ଅନୁମାନ କରାଯାଉଛି ୨୦୨୭ ଆର୍ଥିକ ବର୍ଷ ବେଳକୁ ରୂପା ମୂଲ୍ୟରେ ପାଖାପାଖି ୬୦% ହ୍ରାସ ହୋଇଥିବ।

ଅନେକ ଗ୍ଲୋବାଲ କମ୍ପାନୀ ଏବେ ରୂପା ବଦଳେ ପୁଣି ତମ୍ବା ଉପଯୋଗ କରିବା ଆରମ୍ଭ କରିଦେଲେଣି। ଚୀନ୍, ଅଷ୍ଟ୍ରେଲିୟା, ତାଇୱାନ ଓ ଇସ୍ରାଏଲର କିଛି କମ୍ପାନୀ ସଲିଡଷ୍ଟେଟ ବ୍ୟାଟେରିରେ ତମ୍ବା ପ୍ରୟୋଗ କରୁଛନ୍ତି। ଟେସ୍ଲା ସିଇଓ ଏଲନ ମସ୍କ ମଧ୍ୟ ବଜାରରେ ରୂପା ଦର ଆଉ କିଛି ସମୟ ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି। ତାଙ୍କ ଅନୁମାନ ଅନୁସାରେ ରୂପା ଦର ପ୍ରତି ଆଉନ୍ସ ୧୦୦ ଡଲାରକୁ ଛୁଇଁବା ପରେ ଏହା ହ୍ରାସ ହୋଇ ପୁଣି ୪୦ ଡଲାରକୁ ଯାଇ ପାରେ।

ଆମେରିକା ଓ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ପୂର୍ବରୁ ରୂପା ଯୋଗାଣ ପ୍ରଭାବିତ ହୋଇଥିଲା। ଏହା ପୂର୍ବରୁ ଚୀନ୍ ୧ ଜାନୁୟାରୀ ୨୦୨୫ରେ ରୂପା ରପ୍ତାନୀ କଟକଣା ଲଗାଇଥିଲା। ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏଥିରେ କେତେକ ବିଶେଷଜ୍ଞ ନିବେଶକଙ୍କୁ ଦୀର୍ଘ ଅବଧିରେ ରୂପାରେ ମିଳିଥିବା ଲାଭକୁ ସୁରକ୍ଷିତ କରି ଧିରେ ଧିରେ ନିଜ ପୋଜିସନରୁ ବାହାରକୁ ବାହାରି ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ୧୯୮୦ ମସିହାରେ ରୂପା ପ୍ରତି ଆଉନ୍ସ ୪୦.୫୦ ଡଲାରରୁ ଅଚାନକ ହ୍ରାସ ହୋଇ ୧୧ ଡଲାରକୁ ପହଞ୍ଚି ଯାଇଥିଲା। ସେହିପରି ୨୦୧୧ରେ ଦ୍ରୁତ ବୃଦ୍ଧି ପରେ ୭୫% ହ୍ରାସର ସମ୍ମୁଖୀନ ହୋଇଥିଲା।