ନୂଆଦିଲ୍ଲୀ: VB-G RAM G Bill, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର (ଡିସେମ୍ବର ୨୧) ବିକଶିତ ଭାରତ-ରୋଜଗାର ଓ ଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ ୨୦୨୫ (ଭିବି-ଜି ରାମ ଜୀ) କୁ ମଞ୍ଜୁର ଦେଇଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି। ପୂର୍ବରୁ, ଏହି ବିଲ୍ ସଂସଦର ଉଭୟ ସଦନରେ ଗୃହୀତ ହୋଇଥିଲା। ଏବେ ନୂଆ ଆଇନରେ ପରିଣତ ହେବା ପରେ ବର୍ତ୍ତମାନ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ବୈଧାନିକ ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେବ। ଯାହା ପୂର୍ବରୁ ୧୦୦ ଦିନ ଥିଲା।

ସରକାର ଏହି ବିଲ୍କୁ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ତଳର ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (MGNREGA)ର ଜାଗା ନେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ନୂଆ ଆଇନକୁ ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣକୁ ନେଇ ଡିଜାଇନ୍ କରାଯାଇଛି। ସାମୁହିକ ଓ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଗ୍ରାମୀଣ କ୍ଷେତ୍ରରେ ଆୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ଓ ଉତ୍ପାଦନକ୍ଷମ ସମ୍ପତ୍ତିର ନିର୍ମାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ରହିଛି।

ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ସରକାରଙ୍କର ବୈଧାନିକ ଦାୟିତ୍ୱ ରହିବ। ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ମଜୁରୀ ପ୍ରଦାନ ବାଧ୍ୟତାମୂଳକ ରହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମଜୁରୀ ପ୍ରଦାନ ନହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ନୂଆ ଆଇନରେ ରହିଛି।

ଏହି ଆଇନରେ ଯୋଜନା ପାଇଁ ପାଣ୍ଠି ଯୋଗାଣ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ MGNREGA ଯୋଜନାରେ କେନ୍ଦ୍ର ସରକାର ସମସ୍ତ ପାଣ୍ଠି ଦେଉଥିଲେ। ହେଲେ ନୂଆ ବିଲ୍‌ରେ କେନ୍ଦ୍ର ରାଜ୍ୟ ଦୁହେଁ ମିଶି ଯୋଜନା ପାଇଁ ପାଣ୍ଠି ଖର୍ଚ୍ଚ କରିବେ।  ଯେଉଁଥିରେ କେନ୍ଦ୍ର ୬୦ ଓ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ କରିବ। ଏ ନେଇ କେନ୍ଦ୍ର ସରକାରଙ୍କର ତର୍କ ହେଲା ଏହି ପରିବର୍ତ୍ତନ ସହଯୋଗୀ ସଂଘୀୟତାକୁ ପ୍ରୋତ୍ସାହିତ କରିବ ଏବଂ ଫଳାଫଳ ଉପରେ ରାଜ୍ୟଗୁଡ଼ିକର ମାଲିକାନା ରହିବ।

ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ପ୍ରଥମ ଥର ପାଇଁ, ଗ୍ରାମୀଣ ନିଯୁକ୍ତି ଆଇନରେ ଚାଷ କାର୍ଯ୍ୟକୁ ଧ୍ୟାନରେ ରଖାଯାଇଛି। ସର୍ବାଧିକ ବୁଣା ଏବଂ ଅମଳ ଋତୁରେ ୬୦ ଦିନ ପର୍ଯ୍ୟନ୍ତ ଏହି ଯୋଜନାରେ ନିଯୁକ୍ତିକୁ ବନ୍ଦ କରାଯିବ। ଫଳରେ ଚାଷବାସ ସମୟରେ କୃଷି ଶ୍ରମିକଙ୍କ ଅଭାବ ହେବ ନାହିଁ। ଚାଷ ପାଇଁ କୃଷି ଶ୍ରମିକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିବେ। 

ଗତ ଗୁରୁବାର ଦିନ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ସଂସଦରେ ରାମଜୀ ବିଲ୍ ଗୃହୀତ ହୋଇଥିଲା। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ହତ୍ୟା କରିଛି,  ହେଲେ ମୋଦି ସରକାର ଏହାକୁ ଜୀବିତ ରଖିଛନ୍ତି। ମନରେଗା ଯୋଜନାକୁ ବଦଳାଇବା ପାଇଁ ଏକ ନୂଆ ବିଲ୍ ଆଗତ କରିବା ଏବଂ ସେଥିରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବା ନେଇ ବିରୋଧୀ ଅଭିଯୋଗ କରିଥିଲେ। ଏହାପରେ ପ୍ରବଳ ହଟ୍ଟୋଗଳ ହୋଇଥିଲା। ଏହାପରେ ଶିବରାଜ ସିଂହ ଏହାର ଉତ୍ତର ରଖି ବିରୋଧୀଙ୍କୁ ଏଭଳି ଟାର୍ଗେଟ୍ କରିଥିଲେ।

also read- ବିଜୁଳି ଖର୍ଚ୍ଚ ବଜେଟ ବିଗାଡ଼ୁଛି କି? ୭.୭ ଲକ୍ଷ ଲୋକ ହେଉଛନ୍ତି ଉପକୃତ, ଆସୁଛି ୦ ବିଜୁଳି ବିଲ୍, ଆପଣ ବି ଆପଣାନ୍ତୁ