କୋରାପୁଟ ୨୬।୧୨: ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗର ଫରେଷ୍ଟର । ଭିଜିଲାନ୍ସ ପକ୍ଷରୁ କୋରାପୁଟ ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ୫ ଠିକଣାରେ ଚଢାଉ କରାଯାଇଛି । ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ମୂଲ୍ୟବାନ ସମ୍ପତ୍ତି ଠାବ ହୋଇଛି ।

କୋରାପୁଟ ସେମିଳିଗୁଡ଼ା ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ଓ୍ବାରେଣ୍ଟ ଜାରି କରାଯାଇଥିଲା । ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ଫରେଷ୍ଟରଙ୍କ ବିଭିନ୍ନ ଠିକଣାରେ ଚଢାଉ ଜାରି ରଖିଛି । ଭୁବନେଶ୍ୱର, ଜଗତସିଂପୁର ଏବଂ କୋରାପୁଟ ଜିଲ୍ଲାରେ ନିରଞ୍ଜନ ଶତପଥୀ ୫ଟି ଠିକଣାରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

​​​​​​​

ଭୁବନେଶ୍ୱର ଝାରପଡାର ପ୍ଲଟ୍ ନମ୍ବର ୪୦୮/୨୩୯୦/ ୬୩୮୮ରେ ଅବସ୍ଥିତ ଏକ ତିନି ମହଲା କୋଠା, ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଥାନା ଅନ୍ତର୍ଗତ ବିଲା ଗାଁ ସ୍ଥିତ ପୈତୃକ ଘର, କୋରାପୁଟ ବନ ବିଭାଗ ଅଧିନରେ ଥିବା ସେମିଳିଗୁଡ଼ା ସ୍ଥିତ ସରକାରୀ କ୍ୱାର୍ଟର, ସେମିଳିଗୁଡ଼ା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ଫରେଷ୍ଟର ବାବୁଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଫରେଷ୍ଟରଙ୍କ ଅମାପ ସମ୍ପତିର ତାଲିକା ପାଇଛି ଭିଜିଲାନ୍ସ ବିଭାଗ ।