ବାରିପଦା ୨୪।୧୧: ମିଳିଲା ନିଖୋଜ ଯୁବ ଓକିଲଙ୍କ ପତ୍ତା । ୩ ମାସ ପୂର୍ବେ ନିଖୋଜ ହୋଇଥିଲେ । ଏମିତି କି ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ ବି କରିଥିଲେ ପରିବାର ଲୋକ । ହେଲେ ଏବେ ମିଳିଛି ତାଙ୍କ ଗଳିତ ମୃତଦେହ । ତେବେ ନିଖୋଜର ଏତେ ଦିନ ପରେ ଗଳିତ ମୃତଦେହ ମିଳିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ନିଖୋଜ ଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସର ତଦନ୍ତ ପରେ ଏସବୁ ଉପରୁ ପରଦା ଉଠିପାରିବ ।

​​​​​​​

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ ଏକ କାର୍ ପଡିଥିବା ନେଇ ସୋମବାର ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକ । ଏହା ଦେଖି ସାରସକଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ପାଣି ଭିତରୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ପରେ କାର୍ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହଟିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ଜଣାପଡିଥିଲା ଯେ, ମୃତ ଯୁବକ ଜଣଙ୍କ ବିଶୋଇ ଅଞ୍ଚଳର ୪୨ ବର୍ଷ ବୟସ୍କ ଯୁବ ଓକିଲ ଗୁଲେଶ ଗୋଚ୍ଛାୟତ । ଏ ନେଇ ଝାରପୋଖରିଆ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

​​​​​​​

ପରିବାର ସୂତ୍ରରୁ ଜଣାପଡିଛି ଯେ, ଗତ ସେପ୍ଟେମ୍ବର ୧୧ ତାରିଖରେ ଯୁବ ଓକିଲ ଗୁଲେଶ ନିଖୋଜ ହୋଇଥିଲେ । ସେ ଖଡ଼ଗପୁର ଯାଇ ତାଙ୍କ ସାଙ୍ଗକୁ ଛାଡି ଫେରୁଥିବା ବେଳେ ତାଙ୍କ ସହ ଏଭଳି ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି ।