ଭୁବନେଶ୍ବର ୧।୧: ଦୀର୍ଘ ଦିନ ଧରି କେନ୍ଦ୍ର ଓ ରାଜ୍ୟ ଭିତରେ ଅରୁଆ-ଉଷୁନା ଚାଉଳକୁ ନେଇ ବିବାଦ ଲାଗିରହିଥିଲା । ଏବେ ଏଥିରେ ବ୍ରେକ ଲାଗିବାକୁ ଯାଉଛି । କାରଣ ରାଜ୍ୟରେ ଏବେ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ପଡି ରହିଥିବା ବେଳେ ଏଥିରୁ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏପ୍ରିଲ ମାସ ମଧ୍ୟରେ ଉଠାଇବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର ।

ରାଜ୍ୟରେ ତୁଟିଲା ଅରୁଆଉଷୁନା ବିବାଦ । ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଓ ୧ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ୍ ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅଛି । ବାକି ୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନିଲାମ କରାଯିବ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ସେପଟେ କେନ୍ଦ୍ର ଚାଉଳ ଉଠାଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି, ଅରୁଆ, ଉଷୁନା, ଧାନ ମଣ୍ଡି, ସବୁଥିରେ ସରକାର ଫେଲ୍ ମାରିଛନ୍ତି । ନୂତନ ବର୍ଷରେ ଏସବୁ ସୁଧାରି ଲୋକଙ୍କ ନିକଟତର ହେବାକୁ ଅନ୍ତତଃ ଚେଷ୍ଟା କରନ୍ତୁ ସରକାର ।

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମଣ୍ଡି ଖୋଲିବ ଏବଂ ମାର୍ଚ୍ଚ ସୁଦ୍ଧା ସବୁ ଚାଷୀଙ୍କ ଠାରୁ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।