ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ସଂପର୍କ ଏବେ କ୍ରିକେଟ୍ ଉପରେ ପଡ଼ିଛି। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ଦେଶରେ ଆକ୍ରୋଶ ଉଠିବା ପରେ ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରାଯାଇଛି। ବିସିସିଆଇର ଏମିତି କାର୍ଯ୍ୟାନୁଷ୍ଠାନ ଦେଖି ପ୍ରତିକ୍ରିୟାଶୀଳ ହୋଇ ଉଠିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୬ ଖେଳିବା ପାଇଁ ଭାରତ ଆସିବନି ବାଂଲାଦେଶ ଟିମ୍। ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ରବିବାର ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ନଜରୁଲ କହିଛନ୍ତି, ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି)ର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ସଭିଙ୍କ ନଜର ଏହି ପ୍ରସଙ୍ଗରେ ଆଇସିସି କଣ ଆଭିମୁଖ୍ୟ ଆପଣେଉଛି।

ଆସିଫ ଜେନେରାଲ ନିଜର ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି, ବାଂଲାଦେଶ ବିଶ୍ଵକପ୍ ଖେଳିବା ପାଇଁ ଭାରତ ଯିବ ନାହିଁ। ବାଂଲାଦେଶ କ୍ରିକେଟ୍ ବୋର୍ଡ ରବିବାର ଏହି ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ୍ ବୋର୍ଡର ଆକ୍ରମଣାତ୍ମକ ସାଂପ୍ରଦାୟିକ ନୀତି ଜବାବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନେଇଥିବା ଏହି ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ। ବିସିବି ଏହି ନିଷ୍ପତ୍ତି ବାଂଲଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବହିଷ୍କାର କରାଯିବା ପରେ ନେଇଛି। ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ମୁସ୍ତାଫିଜୁର ରେହମାନଙ୍କୁ ନିଜ ଦଳରୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଥିଲା। କେକେଆର ବିସିସିଆଇର ନିର୍ଦ୍ଦେଶକୁ ପାଳନ କରି ମୁସ୍ତାଫିଜୁରଙ୍କୁ ନିଜ ଦଳରୁ ରିଲିଜ୍ କରିଥିଲା।

ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ୍ ଟିମରୁ ବିଦା କରାଯିବା ନିଷ୍ପତ୍ତିକୁ ନେଇ ବାଂଲାଦେଶର ଅନ୍ତରୀଣ ସରକାର କଡ଼ା ଆପତ୍ତି ପ୍ରକାଶ କରିଛି। ବାଂଲାଦେଶର ସୂଚନା ଏବଂ ପ୍ରସାରଣର ପରାମର୍ଶଦାତା ସୈୟଦ ରିଜଓ୍ଵାନା ହସନ ଏହି ପୂରା ଘଟଣାକ୍ରମକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇଛନ୍ତି। ଏଥିରେ ଦେଶବାସୀଙ୍କ ଭାବନାକୁ ଆଘାତ ଲାଗିଛି। ସରକାର ଏହାକୁ  ସ୍ଵୀକାର କରି ପାରିବେ ନାହିଁ।

ରିଜଓ୍ଵାନା ହସନ କହିଛନ୍ତି, ସାଧାରଣତଃ ଯେବେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଏ, ସେହି ସମୟରେ ସାଂସ୍କୃତିକ ଆଦାନ ପ୍ରଦାନ ଓ କ୍ରୀଡ଼ା ଦୁଇ ଦେଶର ସଂପର୍କକୁ ଉନ୍ନତ କରିବା ପାଇଁ କାମ କରିଥାନ୍ତି। କିନ୍ତୁ ଏଠାରେ ଏହାର ଓଲଟା ଦେଖିବାକୁ ମିଳିଛି। ଜଣେ ବାଂଲାଦେଶୀ ଖେଳାଳିଙ୍କୁ ପ୍ରଥମେ ଦଳରେ ଚୟନ କରାଗଲା, ପୁଣି ରାଜନୈତିକ କାରଣରୁ ବାହାର କରାଗଲା।