ନୂଆଦିଲ୍ଲୀନୂଆ ବର୍ଷ ଆରମ୍ଭ ହେବା ସହ ଆରମ୍ଭ ହୋଇଛି ମହଙ୍ଗା ମାଡ଼। ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି କମର୍ସିଆଲ୍ ସିଲିଣ୍ଡର ଦାମ୍ ବଢ଼ି ସାରିଛି। ଆଗକୁ,ମୋବାଇଲ୍ ରିଚାର୍ଜ,ବାଇକ, କାର୍,ସିଗାରେଟ୍, ଏସି ଫ୍ରିଜ ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏଭଳି ଅନେକ ସାମଗ୍ରୀର ଦାମ ବଢ଼ିବ। ୨୦୨୬ହେବ ମହଙ୍ଗା ବର୍ଷ।୨୦୨୫ ଡିସେମ୍ବର ୨୫ ତାରିଖରେ ପ୍ରଥମେ ରେଳ ଭଡ଼ା ବଢ଼ାଇବାକୁ ଘୋଷଣା କରିଥିଲା ଭାରତୀୟ ରେଳବାଇ। ବାସ୍ଏହାପର ଠାରୁ ମହଙ୍ଗା ଘୋଷଣାର ଯେମିତି ଲାଇନ ଲାଗିଯାଇଛି। ଗାଡ଼ି ଘୋଡ଼ା ଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍ ଏସି ଭଳି ଇଲେକ୍ଟ୍ରୋନିକ ସାମଗ୍ରୀର ଦାମ ମହଙ୍ଗା ହେବାକୁ ଯାଉଛି। ଏନେଇ କମ୍ପାନୀଗୁଡ଼ିକ ଘୋଷଣା ମଧ୍ୟ କରି ସାରିଲେଣି। ଗତବର୍ଷ ଡିସେମ୍ବର ମାସରୁ ହିଁ କିଛି ସାମଗ୍ରୀର ଦାମ ବଢ଼ି ସାରିଥିବା ବେଳେ ୨୦୨୬ ସାଧାରଣ ଲୋକଙ୍କର ପକେଟ୍ ଖାଲି କରିଦେବ।

ଏବେ ଆସନ୍ତୁ ପୂରା ଡିଟେଲ୍ସରେ ବୁଝିବା।

ରେଳ ଭଡ଼ା- ଡିସେମ୍ବର ୨୬ତାରିଖ ଠାରୁ ଦେଶରେ ରେଳ ଭଡ଼ା ବଢ଼ାଇ ସାରିଛନ୍ତି କେନ୍ଦ୍ର ସରକାର। ଳିତ ବର୍ଷ ଏହା ଦ୍ୱିତୀୟ ଭଡ଼ା ବୃଦ୍ଧି। ଏହା ପୂର୍ବରୁ ଜୁଲାଇ ମାସରେ ବି ଭଡ଼ା ବଢ଼ାଇଥିଲା ଭାରତୀୟ ରେଳବାଇ। ନୂଆ ଦର ଅନୁସାରେ, ୨୧୫ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ପ୍ରତି କିଲୋମିଟର ପାଇଁ ୧ ରୁ ୨ ପଇସା ଅଧିକ ଦେବାକୁ ପଡିବ। ତେବେ ୨୧୫ କିଲୋମିଟରରୁ କମ୍ ଯାତ୍ରା କରୁଥିବା ଏବଂ ମାସିକ ସିଜନ୍ ଟିକେଟଧାରୀଙ୍କ ପାଇଁ ଭଡ଼ା ଅପରିବର୍ତ୍ତିତ ରଖାଯାଇଛି।

ଗ୍ୟାସ୍ ସିଲିଣ୍ଡର-ନୂଆ ବର୍ଷ ଆରମ୍ଭରୁ ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୧୧୧ ଟଙ୍କା ମହଙ୍ଗା ହୋଇଯାଇଛି। ତେଣୁ ୧୯ କେଜିର ଏଲପିଜି ସିଲିଣ୍ଡର ମୂଲ୍ୟ ଏବେ ୧,୬୯୧ଟଙ୍କା ୫୦ ପଇସା ହୋଇଯାଇଛି। ତେବେ ବିଭିନ୍ନ ରାଜ୍ୟରେ ଶୁଳ୍କ ମିଶାଇ ଏହାର ମୂଲ୍ୟ ଅଲଗା ଅଲଗା ରହିବ। କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁ ହୋଟେଲ ଓ ରେଷ୍ଟୋରାଣ୍ଟରେ ଖାଇବା ବି ମହଙ୍ଗା ହୋଇପାରେ।

ସିଗାରେଟ ପ୍ରାଇସ୍- କେନ୍ଦ୍ର ସରକାର ତମାଖୁ ଉତ୍ପାଦ ଉପରେ ଅଂକୁଶ ଲଗାଇବାକୁ ଯାଇ ୧ ଫେବୃଆରୀ ୨୦୨୫ରୁ ଅତିରିକ୍ତ ଏକ୍ସାଇଜ ଡ୍ୟୁଟି ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଦେଶରେ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ ମହଙ୍ଗା ହେବ। ବିଶ୍ୱର ବୃହତ୍ତ ଜନସଂଖ୍ୟାର ଦେଶ ଭାରତରେ ପାଖାପାଖି ୧୦ କୋଟି ଲୋକେ ଧୂମପାନ କରନ୍ତି, ଯେଉଁମାନଙ୍କ ଉପରେ ଏହି ଶୁଳ୍କ ବୃଦ୍ଧିର ସିଧା ପ୍ରଭାବ ପଡିବ। ତେବେ ଦର ବୃଦ୍ଧି ଉପରେ ଆଉ ଥରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଟୋବାକୋ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅନୁରୋଧ କରିଛି। କାରଣ ଏହା ଦେଶର MSME ଶିଳ୍ପକୁ ପ୍ରଭାବିତ କରିପାରେ ବୋଲି ସେମାନେ ତର୍କ ରଖିଛନ୍ତି। ତେଣୁ ସରକାର ଏହା ଉପରେ ବିଚାର କରିପାରନ୍ତି।

ସ୍ମାର୍ଟଫୋନ୍ ପ୍ରାଇସ୍- ସାରା ବିଶ୍ୱରେଏଆଇର ବ୍ୟବହାର ବଢ଼ୁଥିବାରୁ RAM ଏବଂ SSD ଭଳି ପ୍ରମୁଖ ଉପାଦାନଗୁଡ଼ିକର ମୂଲ୍ୟ ବି ବୃଦ୍ଧି ପାଉଛି। ଗତ କିଛି ମାସ ମଧ୍ୟରେ ଏହାର ମୂଲ୍ୟ ଦ୍ୱିଗୁଣିତ ଏବଂ ଏପରିକି ତିନିଗୁଣ ବୃଦ୍ଧି ପାଇଛି। ଏଆଇର ପ୍ରବଳ ମାତ୍ରାରେ ଚିପ୍ ବ୍ୟବହାର ହେଉଥିବାରୁ ବର୍ତ୍ତମାନ ଚିପ୍ର ସପ୍ଲାଏ କମିଲାଣି। ମେମୋରୀ ସଙ୍କଟର ପ୍ରଭାବ ଯୋଗୁ ସ୍ମାର୍ଟଫୋନ୍ ଏବଂ ପିସି ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ମୂଲ୍ୟ ବଢ଼ିପାରେ। ରିପୋର୍ଟ ଅନୁସାରେ ଏଥିରେ ପ୍ରାୟ ୧୫-୨୦% ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ। ୨୦୨୬ରେ ଆପଲ୍, ସାମସଙ୍ଗ, ୱାନପ୍ଲସ୍, ଜିଆଓମି, ରିୟଲମି ଓପୋ ଭଳି କମ୍ପାନୀ ଦର ବୃଦ୍ଧି କରିପାରନ୍ତି। ଲ୍ୟାପଟପ କମ୍ପ୍ୟୁଟର ମୂଲ୍ୟ ବି ବଢ଼ିପାରେ।

ଏସି, ଫ୍ରିଜ୍‌ ଭ ଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବଢ଼ିବ-୨୦୨୬ ଫେବ୍ରୁଆରୀ ବେଳକୁ ରେଫ୍ରିଜରେଟର ଓ ଏୟାର କଣ୍ଡିସନର (AC) ଭଳି ଇଲେକ୍ଟ୍ରୋନିକ୍ ଉପକରଣ ମହଙ୍ଗା ହୋଇପାରେ। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE)ର ନୂଆ ଷ୍ଟାର ରେଟିଂ ନିୟମ ଜାନୁଆରୀ ପହିଲାରୁ ଲାଗୁ ହୋଇଛି। ଏହା ଦ୍ଵାରା ରୁମ୍ ଏୟାର କଣ୍ଡିସନରର ମୂଲ୍ୟରେ ୧୦% ଏବଂ ରେଫ୍ରିଜରେଟରର ମୂଲ୍ୟରେ ୫% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। କମ୍ପାନୀଗୁଡ଼ିକର କହିବା କଥା ହେଲା ନୂଆ ରେଟିଂ ହିସାବରେ ମେସିନାରୀ ସାମଗ୍ରୀରେ ପରିବର୍ତ୍ତନ ଏବଂ ଅଧିକ ମହଙ୍ଗା କମ୍ପୋନେଣ୍ଟ ବ୍ୟବହାର ଯୋଗୁ ଦର ବୃଦ୍ଧି ଆବଶ୍ୟକ ହେଉଛି। ଏହା ବ୍ୟତୀତ, ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ଏବଂ ବିଶ୍ୱ ବଜାରରେ ତମ୍ବା ମୂଲ୍ୟ ବୃଦ୍ଧି ମଧ୍ୟ ନିର୍ମାତାମାନଙ୍କ ଉପରେ ଦର ବୃଦ୍ଧି କରିବାକୁ ଚାପ ପକାଉଛି।

କାରଗୁଡ଼ିକ ୨-୩% ମହଙ୍ଗା ହୋଇପାରେ-ନିକଟରେ ଜିଏସ୍‌ଟି ହ୍ରାସ ପରେ କାର ଓ ବାଇକ୍ ଆଦିର ଦାମ କମୁଥିଲା। ହେଲେ ଏବେ ପୁଣି ଦାମ ବଢ଼ିବାକୁ ଯାଉଛି। ମାରୁତି, ଟାଟା, MG, ହୁଣ୍ଡାଇ ଓ ରିନୋଲ୍ଟ ଭଳି କମ୍ପାନୀଗୁଡ଼ିକ ଗାଡ଼ି ମୂଲ୍ୟ ବୃଦ୍ଧି କରିପାରନ୍ତି। MG ମୋଟର ପୂର୍ବରୁ ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଥିବା ବେଳେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଜାନୁଆରୀ ଶେଷ ସୁଧା ଦର ବୃଦ୍ଧି ଘୋଷଣା କରିପାରନ୍ତି। ଖର୍ଚ୍ଚ ବଢ଼ୁଥିବା ଅଭିଯୋଗ କରି ଏମ୍ଜି ମୋଟର ଦାମରେ ୨% ବୃଦ୍ଧି କରିଥିବା ବେଳେ ଲଗଜରୀ ସେଗମେଣ୍ଟରେ Mercedes ଏବଂ BMW ୨-୩% ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ସେହିପରି ବାଇକ ମଧ୍ୟରେ ଟ୍ରାୟମ୍ଫ ଦର ବୃଦ୍ଧି କରିବାକୁ ଘୋଷଣା କରିଛି। ଅନ୍ୟ ବାଇକ୍ କମ୍ପାନୀମାନେ ମଧ୍ୟ ଦର ବଢାଇପାରନ୍ତି।

ଟାରିଫ ମୂଲ୍ୟ ବଢ଼ିବ-ଏମିତିରେ ବି ମହଙ୍ଗା ମୋବାଇଲ ରିଚାର୍ଜ ଲୋକଙ୍କୁ କନ୍ଦାଉଛି। ଏହା ସତ୍ତ୍ୱେ ବି ବୋଝ ଉପରେ ନଳିତା ବିଡ଼ା ପରି ୨୦୨୬ରେ ଟେଲିକକମ କମ୍ପାନୀଗୁଡ଼ିକ ଟାରିଫ ପ୍ଲାନ୍ ମୂଲ୍ୟ ବଢ଼ାଇ ପାରନ୍ତି ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି। ମୋର୍ଗାନ ଷ୍ଟାନଲି ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଶେଷ ବୃଦ୍ଧି ପରେ ପ୍ରତି ଦୁଇ ବର୍ଷିଆ ମୂଲ୍ୟ ବୃଦ୍ଧିର ଏକ ସାଧାରଣ ବ୍ୟବସ୍ଥାକୁ ଅନୁସରଣ କରି ଟେଲିକମ୍ ଅପରେଟରମାନେ ୨୦୨୬ ମସିହାରେ ୪G/୫G ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନରେ ୧୬-୨୦% ମୂଲ୍ୟ ବୃଦ୍ଧି କରିବାର ବୋଲି ଆଶା କରାଯାଉଛି। ମୂଲ୍ୟ ବୃଦ୍ଧି ପଛରେ କମ୍ପାନୀଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ ନେଟୱାର୍କ ନିବେଶ ପରେ ପ୍ରତି ଉପଭୋକ୍ତା ହାରାହାରି ରାଜସ୍ୱ ବା (ARPU) ବୃଦ୍ଧି କରିବା।

ସୁନା ଓ ରୁପା-ଦେଶରେ ଲଗାତର ଏହି ଦୁଇ ମୂଲ୍ୟବାନ ଧାତୁର ମୂଲ୍ୟ ବଢ଼ି ଚାଲିଛି। ୨୦୨୫ରେ ସୁନା ମୂଲ୍ୟରେ ଅସାଧାରଣ ବୃଦ୍ଧି ଘଟିଥିଲା। ଦର ବୃଦ୍ଧିରେ ପ୍ରାୟ ୫୨ଟି ନୂଆ ରେକର୍ଡ ଉଚ୍ଚତା ହାସଲ କରିଥିଲା। ଏବଂ ଏହା ୧୯୭୯ ପରଠାରୁ ସର୍ବାଧିକ ବାର୍ଷିକ ରିଟର୍ଣ୍ଣ ମଧ୍ୟ ଥିଲା। ଏକ୍ସପର୍ଟଙ୍କ କହିବା କଥା ହେଲା ୨୦୨୬ରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୩ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। ସୁନାର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଏହା ୨୦୨୬ ଶେଷ ସୁଦ୍ଧା ପ୍ରତି ୧୦ ଗ୍ରାମ ପିଛା ଦେଢ଼ ଲକ୍ଷ ଅତିକ୍ରମ କରିପାରେ।

ତେବେ ଗତବର୍ଷ ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ତାରିଖ ସୁଦ୍ଧା ସୁନା ମୂଲ୍ୟରେ ୫୭,୦୩୩ ବୃଦ୍ଧି ପାଇଥିଲା। ଯାହା ପୂର୍ବ ବର୍ଷ ଅପେକ୍ଷା ୭୫% ଅଧିକ। କାରଣ ୩୧ ଡିସେମ୍ବର ୨୦୨୪ରେ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ଥିଲା ୭୬,୧୬୨ ଟଙ୍କା। ଏହା ଡିସେମ୍ବର ୩୧, ୨୦୨୫ରେ ବୃଦ୍ଧି ପାଇ ₹୧,୩୩,୧୯୫ରେ ପହଞ୍ଚିଥିଲା। ସେହିଭିଳି ରୁପା ମୂଲ୍ୟ ଯଦି ଦେଖିବା ତେବେ ଏହି ସମୟ ମଧ୍ୟରେ ରୂପା ମୂଲ୍ୟ ମଧ୍ୟ ₹୧୪୪,୪୦୩ (୧୬୭%) ବୃଦ୍ଧି ପାଇଛି। ଏକ କିଲୋଗ୍ରାମ ରୂପାର ମୂଲ୍ୟ ୩୧ ଡିସେମ୍ବର, ୨୦୨୪ରେ ₹୮୬,୦୧୭ ଥିଲା। ଯାହା ୨୦୨୫ ଡିସେମ୍ବର ୩୧ରେ ୨୩୦,୪୨୦ ରେ ପହଞ୍ଚିଛି।

୨୦୨୫ରେ ଯେତେବେଳେ କେନ୍ଦ୍ର ସରକାର ଜିଏସ୍ଟି ସ୍ଲାବ୍ରେ ପରିଣତ କରି ଟ୍ୟାକ୍ସ ହ୍ରାସ କଲେ ସେତେବେଳେ କାର, ବାଇକ, ମୋବାଇଲ ଆଦି ପ୍ରଡକ୍ଟର ଦର କମିଥିଲା। କିଛି ଖାଦ୍ୟ ସାମଗ୍ରୀର ଦାମ ବି କମିଥିଲା। ଆଉ କିଛି କମ୍ପାନୀ ଦର ନ କମାଇବ ସେମିତି ଲାଭ ଖାଇଲେ ବୋଲି ଅଭିଯୋଗ ବି ହେଲା। ଆଉ ଏବେ ୨୦୨୬ରେ ପୁଣି ଦର ବଢ଼ିବ। ସମାନ ସ୍ଥିତି ଫେରି ଆସିବ। ତେଣୁ ଜିଏସ୍‌ଟି ୨.୦ରେ ଦର ହ୍ରାସର କିଛି ମୂଲ୍ୟ ରହିବ ନାହିଁ ବୋଲି କୁହାଯାଉଛି।